Skip to content

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ
ତତ୍‌ସହ
୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ମହୋତ୍ସବ, ସତ୍‌ସଙ୍ଗ ବିହାର, ଭୁବନେଶ୍ବର
ତା୧୧|୦୨|୨୦୨୪, ରବିବାର
ରେଳବାଇ ଖେଳପଡ଼ିଆ, ମଞ୍ଚେଶ୍ବର (ରେଳଡବା ମରାମତି କାରଖାନା ପରିସର)

ଇଷ୍ଟାନୁରାଗରଞ୍ଜିତେଷୁ,
ଆମର ପରମାରାଧ୍ୟ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ଏବଂ ତତ୍‌ସହ ସତ୍‌ସଙ୍ଗ ବିହାର, ଭୁବନେଶ୍ବରର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ମହୋତ୍ସବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ପୂତ ଆଶୀର୍ବାଦକ୍ରମେ ଓ ପୂଜନୀୟ ଅବିନ୍‌ ଦାଦାଙ୍କର ଐଶୀ ପ୍ରେରଣାରେ ୨୦୨୪ ଫେବୃଆରୀ ୧୧ ତାରିଖ, ରବିବାର ଦିନ ମହାସମାରୋହରେ ପାଳନ ହେବ।
ପୁଣ୍ୟଭୂମି ଉତ୍କଳକୁ ଶୁଭାଗମନ ପରେ ଦେଶ ସ୍ବାଧୀନ ହେବାର ବହୁ ପୂର୍ବରୁ ଶ୍ରୀଶ୍ରୀଠାକୁର ମନ୍ଦିରମାଳିନୀ ଐତିହ୍ୟଶାଳିନୀ ନଗରୀ ଭୁବନେଶ୍ବରରେ ଏକ ଭବ୍ୟ ତଥା ବିଶାଳ ମନ୍ଦିର ନିର୍ମାଣ ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ। ଆଦ୍ୟ ଲୀଲାକ୍ଷେତ୍ର ପାବନା ସତ୍‌ସଙ୍ଗ ଆଶ୍ରମରେ ସେବାରତ ଓଡ଼ିଶାର କତିପୟ ଭକ୍ତଙ୍କୁ ଏ ଦିଗରେ କାର୍ଯ୍ୟାରମ୍ଭ କରିବାକୁ ଆଶୀର୍ବାଦ ମଧ୍ୟ କରିଥିଲେ। ଆଜି ଭୁବନେଶ୍ବରର ସତ୍‌ସଙ୍ଗ ବିହାର ପ୍ରାଙ୍ଗଣରେ ଦୃପ୍ତଭଙ୍ଗୀରେ ଦଣ୍ଡାୟମାନ ସତ୍‌ସଙ୍ଗ ଶ୍ରୀମନ୍ଦିର ପରମ ଦୟାଲଙ୍କ ସେହି ଅମିୟ ଆଶୀର୍ବାଦର ବାର୍ତ୍ତା ବହନ କରୁଛି।
ଐଶୀ ଆଶୀର୍ବାଦର ତ୍ରିବେଣୀ ସଙ୍ଗମ ପୁଣ୍ୟପୀଠ ଭୁବନେଶ୍ବର ସତ୍‌ସଙ୍ଗ ବିହାର। ଶ୍ରୀଶ୍ରୀଠାକୁରଙ୍କ ଈପ୍‌ସିତ ଶ୍ରୀମନ୍ଦିରର ପରିକଳ୍ପନା, ଭୂମିନିର୍ବାଚନ ଓ ଶୁଭଶିଳାନାସ ଏବଂ ତତ୍‌ପରେ ନିର୍ମାଣ କାର୍ଯ୍ୟର ଶୁଭାଶୀର୍ବାଦ ପ୍ରଦାନ କରନ୍ତି ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦା। ଏହାପରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଐଶୀ ପ୍ରେରଣା, ନିରବଚ୍ଛିନ୍ନ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଏବଂ ଶେଷରେ ଅର୍ଘ୍ୟଦାନରେ ମନ୍ଦିର କାର୍ଯ୍ୟ ସମାପ୍ତ ହୋଇ ତାଙ୍କରି କରକମଳରେ ୧୯୯୬ ମସିହା ଫେବୃ୍ଆରୀ ୨୮ ତାରିଖରେ ଉଦ୍‌ବୋଧିତ ହୁଏ। ଏହି ଐତିହାସିକ ମୁହୂର୍ତ୍ତର ପୁଣ୍ୟ ସ୍ମୃତିକୁ ସଦା ଉଜ୍ଜୀବିତ କରି ରଖିବା ଲାଗି ଶ୍ରୀଶ୍ରୀଦାଦାଙ୍କ ଆଶୀର୍ବାଦକ୍ରମେ ଏଠାରେ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ମହୋତ୍ସବ ସାଡ଼ମ୍ବରେ ପ୍ରତି ବର୍ଷ ଫେବୃଆରୀ ଦ୍ବିତୀୟ ରବିବାର ପାଳନ ହୋଇ ଆସୁଛି। ଏଠାରେ ଅବଶ୍ୟ ଉଲ୍ଲେଖନୀୟ କି ଭୁବନେଶ୍ବର ସତ୍‌ସଙ୍ଗ ବିହାରର ପବିତ୍ର ପ୍ରାଙ୍ଗଣରେ ୨୦୧୬ ମସିହା ଫେବୃଆରୀ ୧୫ ତାରିଖରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଐତିହାସିକ ସର୍ବଭାରତୀୟ ମହାଦୀକ୍ଷା ଅଭିଯାନର ଓଡ଼ିଶା ପର୍ଯ୍ୟାୟର ସମାପ୍ତି ସହ ୧ ଲକ୍ଷ ଦୀକ୍ଷାର ପୂର୍ତ୍ତି ହୋଇଥିଲା।
ଭୁବନେଶ୍ବରର ଏହି ମହୋତ୍ସବକୁ ଏଥର ଅତ୍ୟନ୍ତ ଭବ୍ୟ, ବିଶାଳ ଓ ଅଭିନବ ଶୈଳୀରେ ଉଦ୍‌ଯାପନ କରିବାକୁ ସ୍ବତଃସ୍ବେଚ୍ଛ ଆଶୀର୍ବାଦ ପ୍ରଦାନ କରିଛନ୍ତି ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବ। ପ୍ରତ୍ୟେକ ନଗରବାସୀଙ୍କ ଦ୍ବାରକୁ ଯାଇ ଉତ୍ସବରେ ଯୋଗଦାନ ନିମିତ୍ତ ସଶ୍ରଦ୍ଧ ଆମନ୍ତ୍ରଣ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୀକ୍ଷାପତ୍ର କାର୍ଯ୍ୟ ( ଡିପି ୱାର୍କସ୍‌) ମାଧ୍ୟମରେ ଆମ ସହ ପୁନଃସଂଯୁକ୍ତ ହୋଇ ଜୀବନ-ବର୍ଦ୍ଧନ ମାର୍ଗରେ ନିଜକୁ ସାମିଲ କରିଥିବା ସମସ୍ତ ଗୁରୁଭ୍ରାତା ଓ ମା’ମାନଙ୍କୁ ଉତ୍ସବରେ ସମ୍ମିଳିତ କରାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କର ସେହି ଉଦାତ୍ତ କଣ୍ଠରୁ ନିଃସୃତ ଉତ୍ସାହବାଣୀ- ‘ଖୁବ୍‌ ଭଲଭାବେ ଉତ୍ସବ କରିବ, ସଭିଏଁ ଯେମିତି ଆନନ୍ଦ ଲାଭ କରନ୍ତି’ କୁ ମଥାରେ ବହନ କରି ତାହାକୁ ପ୍ରକୃଷ୍ଟଭାବେ ରୂପାୟିତ କରିବାକୁ ପଡ଼ିବ। ଆଉ ସମୟାନୁସାରୀ ଇଷ୍ଟ ଓ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ପରିପାଳନ ହିଁ ଆମମାନଙ୍କର ଜୀବନର ସାଧନା।
ଆସନ୍ତୁ, ସଭିଏଁ ସମ୍ମିଳିତ ହୋଇ ଏହି ମହାମହୋତ୍ସବରେ ନିଜକୁ ସାମିଲ କରି ସପରିବାର-ସପାରିପାର୍ଶ୍ବିକ ଆନନ୍ଦମୁଖର ହୋଇଉଠିବା। ଯୁଗପୁରୁଷୋତ୍ତମଙ୍କର ଏହି ସର୍ବପରିପୂରଣୀ ଲୋକକଲ୍ୟାଣକାରୀ ମହାଯଜ୍ଞରେ ନିଜକୁ ଅର୍ପଣ କରି ତାଙ୍କର ଐଶୀ ଆଶୀର୍ବାଦ ଓ ଅଜ‌ଚ୍ଛଳ କରୁଣାର ଅଧିକାରୀ ହେବା।
ବନ୍ଦେ ପୁରୁଷୋତ୍ତମମ୍
( ଭୁବନେଶ୍ବର ସତ୍‌ସଙ୍ଗବିହାର-କର୍ତ୍ତୃକ ନିବେଦିତ)

|| ବିଶେଷ ଦ୍ରଷ୍ଟବ୍ୟ ||
ଉତ୍ସବ ସଂପର୍କରେ ସବିଶେଷ ସୂଚନା ନିମନ୍ତେ ‘ଉତ୍ସବ କାର୍ଯ୍ୟାଳୟ’ ସହ ଯୋଗାଯୋଗ କରିବାକୁ ଅନୁରୋଧ।
‘‘ଉତ୍ସବ କାର୍ଯ୍ୟାଳୟ’’
ସତ୍‌ସଙ୍ଗ ବିହାର,
ବାଣୀବିହାର, ଭୁବନେଶ୍ବର
ପିନ୍- ୭୫୧୦୧୦
ଯୋଗାଯୋଗ:
Phone: 0674-2589550
Mobile: 9437025872, 9437079724, 9437041285